ଏକ ନୂଆ ଆରମ୍ଭ

ଓଡିଆ ଚଳଚ୍ଚିତ୍ରର ଗତି କୁଆଡେ

0

ଭୁବନେଶ୍ୱର: ଦୀର୍ଘଦିନ ଧରି ଓଡିଆ ଚଳଚ୍ଚିତ୍ର ଶିଳ୍ପ ଉପେକ୍ଷିତ ହୋଇ ଆସୁଛି । ପ୍ରଥମେ ନିଜସ୍ୱ ଶିଳ୍ପକୁ ନେଇ ସମସ୍ୟା ଦେଖାଦେଇଥିଲା । ଯାହା ଏବେ ବି ଲାଗିରହିଛି । ଏ ପର୍ଯ୍ୟନ୍ତ ମିଳିନି ଶିଳ୍ପର ମାନ୍ୟତା । ଅନ୍ୟ ରାଜ୍ୟମାନଙ୍କ ପରି ପ୍ରଯୋଜକଙ୍କୁ ସବ୍ସିଡି ମିଳିପାରିନି । ଫଳରେ ଅନେକ ପ୍ରଯୋଜକ ଚଳଚ୍ଚିତ୍ର ଜଗତ ଛାଡିଥିଲାବେଳେ ଆଉ କିଛି ଫିଲ୍ମ ନିର୍ମାଣ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ।

- Advertisement -

ସିନେମା ହଲର ସଂଖ୍ୟା କ୍ରମଶଃ କମିକମି ୩୫ରେ ପହଂଚିଛି । ଅନ୍ୟପଟେ ମଲଟିପ୍ଲେକ୍ସ ଖୋଲବା ପରେ ସିଙ୍ଗଲ ଥିଏଟର୍ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଳଜଳ ହୋଇ ଦେଖାଯାଉଛି । ସରକାର ବିଦ୍ୟୁତ କିମ୍ବା ଟ୍ୟାକ୍ସରେ ସବସିଡି ପ୍ରଦାନ ନକରିଥିବାରୁ ଥିଏଟର ମାଲିକ ଏବେ ଦେବାଳିଆ ସ୍ଥିତି ଦେଇ ଗତି କରୁଛନ୍ତି । ବେଡି ଉପରେ କୋରଡା ମାଡ ଭଳି ଟିଭି ଚ୍ୟାନେଲଗୁଡିକ ନିଜେ ଫିଲ୍ମ ନିର୍ମାଣ କରି ନିଜ ଚ୍ୟାନେଲରେ ପ୍ରଦର୍ଶିତ କରିବା ଫଳରେ ଚଳଚ୍ଚିତ୍ର ପ୍ରଯୋଜକଙ୍କ ମେରୁଦଣ୍ଡ ଭାଙ୍ଗି ପଡିଛି ।

ଓଡିଆ ଚଳଚ୍ଚିତ୍ର ନିଗମରେ ଚଳଚ୍ଚିତ୍ର ଜଗତ ସହ ଜଡିତ ବ୍ୟକ୍ତି ଦୁଇଦୁଇଥର ମୁଖ୍ୟ ଭାବେ ଅବସ୍ଥାପିତ ହୋଇଛନ୍ତି । ହେଲେ ତାଙ୍କ ଆନ୍ତରିକତା ଓଡିଆ ଚଳଚ୍ଚିତ୍ରର ଉନ୍ନତି ଅପେକ୍ଷା ନିଜସ୍ୱ ଏଜେଣ୍ଡା ଉପରେ ସେ ଅଧିକ ଗୁରୁତ୍ୱ ଦେଉଥିବା ଅଭିଯୋଗ ହେଉଛି । ରାଜନୀତି ରେ ଅନେକ କଳାକାର ଯୋଗ ଦେବାପରେ ଚଳଚ୍ଚିତ୍ର ପ୍ରେମୀ, କଳାକାର ଓ ପ୍ରଯୋଜକମାନେ ଅନେକ କିଛି ଆଶା କରିଥିଲେ । ହେଲେ ସେହି ଆଶା କିନ୍ତୁ ଆଶାରେ ରହିଯାଇଛି ।

ଚଳଚ୍ଚିତ୍ର ନିର୍ମାଣ କଲେ ନିୟମ ରହିଛ ପ୍ରଯୋଜକଙ୍କୁ ମିଳିବ ୩.୫ ଲକ୍ଷ ଟଙ୍କାର ସବସିଡି । ହେଲେ ଭାଗ୍ୟର ବିଡମ୍ବନା ହେଉ କି କାହାରି ଚକ୍ରାନ୍ତ, ବିଗତ ୧୫ ବର୍ଷ ହେଲା ପ୍ରଯୋଜକଙ୍କୁ ଟଙ୍କାଟିଏ ମଧ୍ୟ ମିଳିନି । ଆକଳନ ଅନୁଯାୟୀ ବିଗତ ୧୫ ବର୍ଷରେ ୪୦୦ରୁ ଅଧିକ ଫିଲ୍ମ ନିର୍ମାଣ ହେଇଛି । ତେବେ ଏହାରି ଭିତରେ ପ୍ରଯୋଜକଙ୍କୁ ସବସିଡି ମିଳିନଥିଲାବେଳେ ସେହି ଟଙ୍କାର ଠିକଣା ଏବେ ବି ରହସ୍ୟଘେରରେ । ଏହାର ବିଧିବଦ୍ଧ ତର୍ଜମା ଓ ଭିଜିଲାନ୍ସ ଜରିଆରେ ଖୋଳତାଡ କରିବା ପାଇଁ ଅନେକ ପ୍ରଯୋଜକ ନିଜ ନାଁ ଗୁପ୍ତ ରଖି ପ୍ରକାଶ କରିଛନ୍ତି ।

ଅନ୍ୟ ରାଜ୍ୟଗୁଡିକରେ ଚଳଚ୍ଚିତ୍ର ଶିଳ୍ପକୁ ସରକାର ଟିକସରେ ରିହାତି ଦେଉଥିବାବେଳେ ଓଡିଶାରେ ଏପରି କୌଣସି ବ୍ୟବସ୍ଥା ପ୍ରଣୟନ ହୋଇନାହିଁ । ଚଳଚ୍ଚିତ୍ର ଜଗତ ନାନା ସମସ୍ୟା ଦେଇ ଗତି କରୁଥିଲାବେଳେ ରାଜ୍ୟ ସରକାର କେବଳ କଳିଙ୍ଗ ଷ୍ଟୁଡିଓର ପୁନଃରୁଦ୍ଧାର ପାଇଁ ଆର୍ଥିକ ସହାୟତା ଯୋଗାଇ ବସିପଡିଛନ୍ତି । ଏପରି ସ୍ଥିତିରେ ଚଳଚ୍ଚିତ୍ର ଶିଳ୍ପର କିପରି ଉନ୍ନତି ହେବ ସେ ନେଇ ଉଠିଛି ଅସରନ୍ତି ପ୍ରଶ୍ନ । ଅନେକ ପ୍ରଶ୍ନ ଅଛି, ଅଭିଯୋଗ ବି ଅଛି । ଚଳଚ୍ଚିତ୍ର ଜଗତ ସହ ଜଡିତ ଅନେକ ଅଜଣା କଥା ଓ ବ୍ୟଥା ଆଗାମୀ ଅଧ୍ୟାୟରେ ପ୍ରକାଶ କରାଯିବ ।

Leave A Reply

Your email address will not be published.