ଏକ ନୂଆ ଆରମ୍ଭ

ସଙ୍ଗୀତକୁ ଅନାଥ କରି ଚାଲିଗଲେ ଶାନ୍ତିରାଜ ଖୋସଲା

0

ପରଲୋକରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା । ସେ ଥିଲେ ଭିନ୍ନ ଏକ କୋରାପୁଟିଆ ମଣିଷ । ସଙ୍ଗୀତ ଜରିଆରେ ନିଜ ମାଟି ପାଇଁ ଆଣିଦେଇଥିଲେ ଗର୍ବ ଓ ଗୌରବ । ଏହି ବ୍ୟକ୍ତିତ୍ୱଙ୍କ ନିଧନରେ ଓଡିଆ ସଙ୍ଗୀତ ଦୁନିଆରେ ଏକ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି ।

- Advertisement -

କରୋନା ମହାମାରୀରେ ସେ ବି ସଂକ୍ରମିତ ହୋଇଥିଲେ । ହସ୍ପିଟାଲ ବଦଳରେ ଘରେ ରହି ଚକିତ୍ସିତ ହେଉଥିଲେ । ତେବେ ଘରେ ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କିଛି ସମୟ ପରେ କଟକ ବଡ ମେଡିକାଲ ସାଜିଥିଲା ଶାନ୍ତିରାଜଙ୍କର ମୃତ୍ୟୁର ମୂକସାକ୍ଷୀ । ତାଙ୍କ ମୃତ୍ୟୁର ଖବର କେବଳ ଯେ କୋରାପୁଟ ବାସିନ୍ଦାଙ୍କୁ ବ୍ୟଥିତ କରିଛି ତା ନୁହେଁ, ବରଂ ସମଗ୍ର ଓଡିଶାରେ ଥିବା ସଙ୍ଗୀତପ୍ରେମୀ ଓ କଳାକାରଙ୍କୁ ଆଣିଦଇଛି ଅନାଥର ଅନୁଭୂତି ।

ଶାନ୍ତିରାଜଙ୍କ ସଙ୍ଗୀତରେ ସତେ ଅବା ଯାଦୁ ଥିଲା, ଜିଣିନେଉଥିଲା ଶ୍ରୋତାଙ୍କ ମନ । ଫିଲ୍ମ ହେଉ ଅବା ଆଲବମ ଦୁନିଆ । ସବୁଠି ସେ ହାସଲ କରିଥିଲେ ଏକ ସ୍ୱତନ୍ତ୍ର ପରିଚୟ । ତେବେ ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା ।

ନିଜ କ୍ୟାରିଅରରେ ଶାନ୍ତିରାଜ ଅନେକ ସୁପରହିଟ୍ ଗୀତ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ,” ଧନରେ ଶପଥ ରଖିବୁ ମୋର”, ‘ବାଇଶି ପାହାଚେ ଖେଳିବ ମୀନ” ,”ମୁଁ ସପନ ର ସୌଦାଗର” “, ମତେ ଆଣି ଦେଲୁ ଲକ୍ଷେ ଫଗୁଣ “ଓ “ତୋର ମୋର ଯୋଡି ସୁନ୍ଦର” ଭଳି ୨୦ରୁ ଅଧିକ ଫିଲ୍ମ ତଥା ୨ହଜାରରୁ ଅଧିକ ଆଲବମ୍ ଶ୍ରୋତାଙ୍କ ମନକୁ ଛୁଇଁପାରିଥିଲା ।

ଶାନ୍ତିରାଜଙ୍କ ପାଇଁ ପୁରସ୍କାର କୌଣସି ମହତ୍ତ୍ୱ ରଖୁନଥିଲା । ସଙ୍ଗୀତ ଜରିଆରେ ଲୋକଙ୍କ ମୁହଁରେ ହସ ଫୁଟାଇବା ଓ ମନକୁ ଶାନ୍ତି ଦେବା ଥିଲା ତାଙ୍କର ନିଜସ୍ୱ ସ୍ୱାର୍ଥ । ଆଜି ସେ ନାହାଁନ୍ତି ସତ, ହେଲେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶିତ ଅନେକ ଗୀତରେ ସେ ଆଜି ବି ଜୀବିତ । ଶାନ୍ତ ପଡିଛନ୍ତି ଶାନ୍ତିରାଜ…

Leave A Reply

Your email address will not be published.