ଏକ ନୂଆ ଆରମ୍ଭ

କରୋନା ଯୋଦ୍ଧାଙ୍କୁ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କଲେ ଅଭିନେତ୍ରୀ ଅନୁ ଚୌଧୁରୀ

0

ବର୍ଷ ୨୦୨୦ର କରାଳ ରୂପକୁ କେହି ଭୁଲିପାରିବେନି । କରୋନା ମହାମାରୀକୁ ଆମେ ବେଶ ସତର୍କତାକର ସହ ମୁକାବିଲା କରି ତାକୁ ପରାସ୍ତ କରିଥିଲୁ । ଚଳିତବର୍ଷ ଆମ ଦୈନନ୍ଦିନ ଜୀବନ ଶୈଳୀ ସ୍ୱାଭାବିକ ହେବାକୁ ଲଗିଥିଲା । ସମସ୍ତେ ଅଫିସ୍‌କୁ ଯାଉଥିଲେ, ବ୍ୟବସାୟୀ ଖୋଲା ବଜାରରେ ବସୁଥିଲେ । ଛାତ୍ରଛାତ୍ରୀ ମଧ୍ୟ ସ୍କୁଲ, କଲେଜ ଯିବାକୁ ଦିନ ଗଣୁଥିଲେ । ହେଲେ କେହି କେବେ କଳ୍ପନା ବି କରିନଥିଲେ ଯେ, କରୋନାର ଦ୍ୱିତୀୟ ଲହରି ଭାରତକୁ ଏତେମାତ୍ରାରେ ଦୋହଲାଇଦେବ ।

- Advertisement -

ସମସ୍ତେ ଅନୁମାନ କରିଥିଲେ ହୁଏ ତ କରୋନାର ଦ୍ୱିତୀୟ ଲହରି ଆସିପାରେ । ହେଲେ ଆମମାନଙ୍କର ଖାମ୍‌ଖିଆଲ୍ ମନୋଭାବ ଏହି ରୋଗର ପ୍ରଭାବକୁ ଦ୍ୱିଗୁଣିତ କରିଥିଲା । ଏ କଥା ସତ ଯେ ଲୋକଙ୍କ ପାଇଁ ଭାକ୍ସିନ୍ ଆସିଗଲାଣି । ହୁଏ ତ ଆଗକୁ ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁସଂଖ୍ୟାରେ ମଧ୍ୟ ହ୍ରାସ ହେବ । କିନ୍ତୁ କରୋନାର ଦ୍ୱିତୀୟ ଲହରି ଯେ ସମସ୍ତଙ୍କୁ ଭୟଭୀତ କରିଛି ଏଥିରେ ସନ୍ଦେହ ନାହିଁ ।

କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେଧିରେ ବଢିବାରେ ଲାଗିଛି । ପୁଣି ଶୁଣିବାକୁ ମିଳିଛି କରୋନାର ତୃତୀୟ ଲହରି ମଧ୍ୟ ଆସିପାରେ । ହେଲେ ବର୍ତ୍ତମାନର ପରିସ୍ଥିତି ଅନୁଯାୟୀ ଆମକୁ ଆହୁରି ସତର୍କ ରହିବାକୁ ପଡିବ । ଯେଉଁମାନେ ଆମକୁ ସୁରକ୍ଷିତ ରଖିବା ଲାଗି ଦିନରାତି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ଆମ ପାଇଁ ନିଜ ପରିବାରକୁ ଛାଡି କରୋନା ଯୋଦ୍ଧା ସାଜିଛନ୍ତି । ସେମାନଙ୍କ ପରିବାର ଲୋକଙ୍କୁ ମୋର ଅନୁରୋଧ ଦୟାକରି ସେମାନଙ୍କୁ ସହଯୋଗ କରନ୍ତୁ । ମାନସିକ ରୂପେ ସମର୍ଥନ ଦିଅନ୍ତୁ ।

ଖବର କାଗଜ ହେଉ ଅବା ଟିଭି ଚ୍ୟାନେଲ, ପ୍ରତିଦିନ ପୋଲିସ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ସହ ସାଧାରଣ ଜନତାଙ୍କର ତିକ୍ତତା ନେଇ ଖବର ଆସୁଛି । ଏ କଥା ମନେ ରଖିବା ଉଚିତ ଯେ, ପୋଲିସମାନେ ଆମକୁ ସଜାଗ କରୁଛନ୍ତି । ଖାସ ଆମକୁ କରୋନା ସଂକ୍ରମଣଠାରୁ ଦୂରେଇ ରଖିବା ପାଇଁ ଲକଡାଉନ୍ ଓ ସଟଡାଉନ୍ ହେଉଛି । କରୋନା ସଂକ୍ରମଣ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ ।

ଏହି ଚେନ୍‌କୁ ଭାଙ୍ଗିବା ପାଇଁ ପ୍ରଶାସନ ବାଧ୍ୟ ହୋଇ ସଟଡାଉନ୍ ଓ ଲକଡାଉନ୍ କରୁଛନ୍ତି । ସାଧାରଣ ଜନତାଙ୍କୁ ମୋର ବିନମ୍ର ଅନୁରୋଧ ପରୋକ୍ଷ ହେଉ କି ପ୍ରତ୍ୟକ୍ଷ । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୌରପାଳିକା କର୍ମଚାରୀ ଓ ପୋଲିସଙ୍କୁ କରୋନା ବିରୋଧୀ ଲଢେଇରେ ସହଯୋଗ କରନ୍ତୁ । ତାଙ୍କ ସହ ଯୁକ୍ତିତର୍କ କି ମାରପିଟ୍ କରିବାଠାରୁ ନିବୃତ୍ତ ରୁହନ୍ତୁ । ନିଜେ ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ । ନିଜ ପରିବାରକୁ କରୋନାଠୁ ଦୂରେଇ ରଖନ୍ତୁ । ପାରୁପର୍ଯ୍ୟନ୍ତ ଅସହାୟ ଓ ଅଭାବୀ ଲୋକଙ୍କୁ ସହାୟତା କରନ୍ତୁ । ପ୍ରଥମ ଧାଡିର କୋଭିଡ ଯୋଦ୍ଧାଙ୍କୁ ସହଯୋଗ କରନ୍ତୁ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କରୋନାକୁ ଆମେ ପରାସ୍ତ କରିବା । ଏବେଠୁ ସଜାଗ ରହିଲେ କରୋନାର ତୃତୀୟ ଲହରି ସମ୍ଭାବନାକୁ ମଧ୍ୟ ଅତି ସହଜରେ ଏଡାଇ ହେବ ।

Leave A Reply

Your email address will not be published.